ଓଏମ୍ସି ଖଣି କ୍ଷେତ୍ରରେ କାର୍ଯ୍ୟରତ ଦେଶର ସର୍ବବୃହତ ରାଜ୍ୟ ସ୍ତରୀୟ ଔଦ୍ୟୋଗିକ ସଂସ୍ଥା ହୋଇଥିବାବେଳେ ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରାୟ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରିଛି ।
କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର) ଏହାର ଗୁରୁତ୍ୱପୂର୍ଣ୍ଣ ଭାଗ ହୋଇଥିବାବେଳେ ଓଏମ୍ସି ସକରାତ୍ମକ ମନୋଭାବ ନେଇ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ସହାୟତା କରିଆସୁଛି । ଶିକ୍ଷା କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକରେ ଗୋଟିଏକରି ମଡେଲ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଓଏମ୍ସି ଏଥିପାଇଁ ୧୦୦ କୋଟି ଟଙ୍କା ଯୋଗାଇବାକୁ ପ୍ରତିଶୃତି ଦେଇଛି ।
ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ ଓଏମ୍ସି ପଦକ୍ଷେପ ଗ୍ରହଣ କରୁଛି । ଏକାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେଉଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଜେଇ, ଆଇଆଇଟି, ଏନ୍ଆଇଟି ଭଳି ପ୍ରବେଶିକା ପରୀକ୍ଷାଲାଗି ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର୍ ସୋସିଆଲ ରେସପନ୍ସବିଲିଟି ଆଣ୍ଡ ଲିଡରସିପ୍ (ସିଏସ୍ଆରଏଲ୍)ର ମିଳିତ ସହଯୋଗରେ ତାଲିମ ପ୍ରଦାନ କରୁଛି ।
୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଇତି ମଧ୍ୟରେ ଦୁଇଟି ବ୍ୟାଚ୍ ତାଲିମ ନେଲେଣି । ‘ଓଏମ୍ସି ସୁପର ୩୦’ ନାମରେ ପରିଚିତ ପ୍ରତି ବ୍ୟାଚ୍ରେ ୩୦ ଜଣ କରି ଛାତ୍ରଛାତ୍ରୀ ଥିବାବେଳେ ପ୍ରଥମ ୩୦ଜଣ କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଜଗତ୍ସିଂହପୁର, ଖୋରଧା, କଳାହାଣ୍ଡି, କୋରାପୁଟ ଓ ରାୟଗଡା ଜିଲ୍ଲାରୁ ଆସିଥିଲେ । ‘ଓଏମ୍ସି ସୁପର ୩୦ ଓଡିଶା’ ନାମରେ ପରବର୍ତ୍ତୀ ୩୦ ଜଣ ସମଗ୍ର ରାଜ୍ୟରୁ ଆସିଥିବାବେଳେ ଏହି ଯୋଜନାରେ ସାମିଲ ହେବାକୁ ଥିବା ପ୍ରତି ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ଅଢେଇ ଲକ୍ଷରୁ କମ୍ ହୋଇଥିବାର ମାନଦଣ୍ଡ ରଖାଯାଇଛି ।
୬୦ ଜଣ ଛାତ୍ରଛାତ୍ରୀଙ୍କୁ ୧୧ ମାସ ଧରି ସମ୍ପୂର୍ଣ୍ଣ ମାଗଣାରେ ଆଇଆଇଟି ଓ ଅନ୍ୟ ଅଗ୍ରଣୀ ଇଞ୍ଜିନିୟରିଂ ପାଠ୍ୟକ୍ରମ ଲାଗି ଆବାସିକ ତାଲିମ ପ୍ରଦାନ କରାଯାଇଛି । ଏ ବାବଦରେ ପ୍ରତି ଛାତ୍ର ପିଛା ଅଢ଼େଇ ଲକ୍ଷ ଟଙ୍କା ହିସାବରେ ମୋଟ୍ ଦେଢ଼କୋଟି ଟଙ୍କା ବ୍ୟୟଭାର ଓଏମ୍ସି ବହନ କରିଛି ।
୬୦ ଜଣ ଛାତ୍ରଛାତ୍ରୀ ଉତ୍ସାହଜନକ ପ୍ରଦର୍ଶନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫୨ ଜଣ ଜେଇଇ ମେନ୍ ଏବଂ ହ୍ୟାଣ୍ଡ ରିଟିନ୍ ଜେଇଇ ଆଡ଼ଭାନ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ୫୨ ଜଣଙ୍କ ମଧ୍ୟରୁ ୨୪ ଜଣ ଜେଇଇ ଆଡ଼ଭାନ୍ସ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ସଂଖ୍ୟାଧିକ ଛାତ୍ରଛାତ୍ରୀ ଆଇଆଇଟି ଅଥବା ଏନ୍ଆଇଟିରେ ନାମ ଲେଖାଇପାରିବେ । ୫୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ଜଣ ଅନୁସୂଚିତ ଜାତି ବର୍ଗର ହୋଇଥିବା ବେଳେ ୨ ଜଣ ଅନୁସୂଚିତ ଜନଜାତି ଏବଂ ୧୭ ଜଣ ପଛୁଆବର୍ଗର ଅଛନ୍ତି । ୨ ଜଣ ଛାତ୍ରୀ ମଧ୍ୟ ଜେଇଇ ମେନ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
୨୦୧୬ ମସିହା ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ ମେନ୍ ଓ ଆଡ଼ଭାନ୍ସ ଲାଗି ଯୋଗ୍ୟ ବିବେଚିତ ହୋଇଥିବା ଓଏମ୍ସିର ସୁପର୍-୩୦ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସମ୍ବର୍ଦ୍ଧିତ କରିଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ନୂତନ ଭାବେ ଦାଖଲ ହୋଇଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ଓଏମ୍ସିର ସୁପର୍-୬୦ ଭାବେ ସ୍ୱାଗତ କରାଯାଇଛି ।
ଭୁବନେଶ୍ୱରର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରୁ ଯୁକ୍ତ ୨ ବିଜ୍ଞାନର ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ ।
ଓଏମ୍ସିର ସୁପର୍ ୩୦ ଛାତ୍ରଛାତ୍ରୀମାନେ ରାଜ୍ୟର ଅନ୍ୟମାନଙ୍କ ଲାଗି ଭବିଷ୍ୟତରେ ଆଦର୍ଶ ପାଲଟିବେ ବୋଲି ଆଶା କରାଯାଉଛି ।