ଓଡିଶା ହେଉଛି ଭାରତର ଅନ୍ୟତମ ଖଣିଜ ସମ୍ପଦ ଭରା ରାଜ୍ୟ । ହେଲେ ରାଜ୍ୟରେ ଥିବା ଖଣିଜ ସମ୍ପଦ ବହୁଳ ସଂଖ୍ୟାରେ ବିନିଯୋଗ ହୋଇପାରୁ ନଥିଲା । ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଶିଳ୍ପସଂସ୍ଥା ପାଇଁ ଖଣିଜ ସମ୍ପଦ ପାଇବା କଷ୍ଟକର ହୋଇପଡୁଥିଲା । ଏଭଳି ସ୍ଥିତିରେ ୧୯୫୬ ମସିହା ମଇମାସ ୧୬ ତାରିଖରେ ଗଠନ ହୋଇଥିଲା ଓଡିଶା ରାଜ୍ୟ ଖଣିଜ ନିଗମ (ଓଏମ୍ସି) ଲିମିଟେଡ । ସେତେବେଳେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ କମ୍ପାନୀ ଥିବାବେଳେ ରାଜ୍ୟର ଖଣିଜ ସମ୍ପଦକୁ ସନ୍ଧାନ କରିବା,ଉତ୍ତୋଳନ କରିବା ଓ ମୂଲ୍ୟଯୁକ୍ତ କରିବା ଏହାର ପ୍ରମୁଖ କାର୍ଯ୍ୟଥିଲା ।
ଏହାର ଚାରିବର୍ଷ ପରେ କେନ୍ଦ୍ର ସରକାର ଏହି ମିଳିତ କମ୍ପାନୀରୁ ଓହରି ଯିବାପରେ ୧୯୬୧ ମସିହା ନଭେମ୍ବର ୧୭ ତାରିଖରେ ଓଏମ୍ସି ରାଜ୍ୟ ସରକାରଙ୍କ ନିଜସ୍ୱ ନିଗମର ମାନ୍ୟତା ପାଇଥିଲା । ବର୍ତ୍ତମାନସୁଧା ଏହା ଓଡିଶା ସରକାରଙ୍କର ସମ୍ପୂର୍ଣ୍ଣ ନିଜସ୍ଵ ନିଗମ ଭାବେ କାର୍ଯ୍ୟ କରିଆସୁଅଛି ଓ ସେତେବେଳେ ୧୦୦ କୋଟି ଟଙ୍କାର ମଞ୍ଜୁୂରୀପ୍ରାପ୍ତ ପୁଞ୍ଜି ମଧ୍ୟରୁ ଏହା ୩୧କୋଟି ୪୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲା ।
ଖଣି ନିଗମ ଦ୍ୱାରା ଉତ୍ତୋଳନ କରାଯାଉଥିବା ପ୍ରମୁଖ ଖଣିଜ ସମ୍ପଦ ମଧ୍ୟରେ ରହିଛି କ୍ରୋମାଇଟ୍, ଲୁହାପଥର ଏବଂ ମାଙ୍ଗାନିଜ ଯାହାକି ଦେଶ ଓ ଦେଶ ବାହାରେ ଥିବା ଖଣିଜ ଭିତ୍ତିକ ଶିଳ୍ପ ଯଥା ଇସ୍ପାତ, ସ୍ପଞ୍ଜ ଆଇରନ୍, ପିଗ୍ ଆଇରନ୍, ଫେରୋ-ମାଙ୍ଗାନିଜ, ଫେରୋ କ୍ରୋମ୍ ଆଦି ଶିଳ୍ପର ଆବଶ୍ୟକତା ପୂରଣ କରିଥାଏ ।
ଓଏମ୍ସି ସେବେଠାରୁ ଆଜି ପର୍ଯ୍ୟନ୍ତ ଧିରେ ଧିରେ ଅଭିବୃଦ୍ଧି ପଥରେ ଅଗ୍ରସର ହେବା ସହିତ ବତ୍ତର୍ମାନ ଖଣି କ୍ଷେତ୍ରରେ ଏହା ଦେଶର ସର୍ବବୃହତ୍ ଖଣିଭିତ୍ତିକ ରାଜ୍ୟସ୍ତରୀୟ ସରକାରୀ ଉଦ୍ୟୋଗ ସଂସ୍ଥା ହୋଇପାରିଛି । ୨୦୧୦-୧୧ ମସିହାରେ ନିଗମର କାରବାର ସର୍ବାଧିକ ୨୭୫୬ କୋଟି ଟଙ୍କା ଥିଲା ।